ଏକପଟେ ସ୍ୱାମୀଙ୍କ ଅନୁପସ୍ଥିତି, ଅନ୍ୟପଟେ ଦୁଇ ଛୋଟ ଛୁଆଙ୍କ ଭବିଷ୍ୟତ ଓ ପରିବାରର ଭରଣପୋଷଣକୁ ନେଇ ଚିନ୍ତାରେ ମାଆ। ଅଟୋ ଚଳାଇବାକୁ ଯାଉଛି କହି ଘରୁ ବାହାରିଥିଲେ ସ୍ୱାମୀ, ହେଲେ ଆଉ ଘରକୁ ଫେରିନଥିବା ଅଭିଯୋଗ ହୋଇଛି। ଏବେ ଦୁଇ କୁନି ଛୁଆଙ୍କୁ ଧରି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସର୍ଦାପୁର ଗ୍ରାମରୁ।
ସୂଚନା ଅନୁସାରେ, ସର୍ଦାପୁର ଗ୍ରାମର କୁଳମଣି ଦୁର୍ଗା ଗତ ୨୭ ତାରିଖରେ ଅଟୋ ଚଳାଇବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ହେଲେ ସେହିଦିନଠାରୁ ଆଉ ଘରକୁ ଫେରିନଥିବା ତାଙ୍କ ସ୍ତ୍ରୀ ଡୁଲେଶ୍ୱରୀ ଛତ୍ରିଆ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, କୁଳମଣି ଅନ୍ୟ ଜଣେ ମହିଳାଙ୍କ ସହ ଘର ଛାଡ଼ି ଚାଲିଯାଇଛନ୍ତି। ଏହି ଘଟଣା ପରେ ଦୁଇ ଛୋଟ ଛୁଆଙ୍କ ଦାୟିତ୍ୱ ଏବେ ଡୁଲେଶ୍ୱରୀଙ୍କ ଉପରେ ପଡ଼ିଛି।
ପରିବାରର ଏକମାତ୍ର ରୋଜଗାରିଆ ଥିଲେ କୁଳମଣି। ତାଙ୍କ ଅଟୋ ଚଳାଇବାରୁ ଯାହା ରୋଜଗାର ହେଉଥିଲା, ସେଥିରେ ପରିବାରର ଗୁଜୁରାଣ ମେଣ୍ଟୁଥିଲା। କିନ୍ତୁ ଏବେ ସ୍ୱାମୀ ଘରେ ନଥିବାରୁ ଦୁଇ ଛୁଆଙ୍କ ଖାଇବା, ପିନ୍ଧିବା, ପାଠପଢ଼ା ଓ ଲାଳନପାଳନ କିପରି କରିବେ, ସେହି ଚିନ୍ତା ଡୁଲେଶ୍ୱରୀଙ୍କୁ ଘାରିଛି। ଛୁଆମାନଙ୍କ ଭବିଷ୍ୟତ କଥା ଭାବି ସେ ମାନସିକ ଭାବେ ଭାଙ୍ଗିପଡ଼ିଥିବା କହିଛନ୍ତି।
ଏହି ଘଟଣାକୁ ନେଇ ଡୁଲେଶ୍ୱରୀ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ଦୁଇ କୁନି ଛୁଆଙ୍କୁ ନେଇ ଜୀବନ କିପରି ଆଗକୁ ବଢ଼ାଇବେ, ସେନେଇ ଚିନ୍ତାରେ ରହିଛନ୍ତି ସେ। ଅନ୍ୟପଟେ ସ୍ୱାମୀ ଫେରିଆସିବେ ବୋଲି ଆଶା ରଖିଥିବା ବେଳେ ପରିବାରର ଆଗାମୀ ଦିନକୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି ଡୁଲେଶ୍ୱରୀ।
ଏହି ଘଟଣାରେ ଡୁଲେଶ୍ୱରୀ ଛତ୍ରିଆ ଓ ତାଙ୍କ ମାଆ ଗାୟତ୍ରୀ ଛତ୍ରିଆ ନିଜ ପକ୍ଷ ରଖିଛନ୍ତି। ଦୁଇ ଛୁଆଙ୍କ ଭବିଷ୍ୟତ ଓ ପରିବାରର ଭରଣପୋଷଣ ପାଇଁ ଏବେ କେବଳ ସହାୟତା ଓ ସମାଧାନର ଅପେକ୍ଷାରେ ଅଛନ୍ତି ଏହି ପରିବାର।


